ଆଠଗଡ଼ର ୫୭ଗୋଟି ଗ୍ରାମ ସିଡିଏରେ ମିଶ୍ରଣକୁ ନେଇ ତୀବ୍ର ବିରୋଧ : ହାଇକୋର୍ଟର ଦ୍ୱାରସ୍ଥ ହେବ ନଦୀକୂଳ ଶ୍ରୀରାମ ବରିଷ୍ଠ ନାଗରିକ ସଙ୍ଘ

 


ଖୁଣ୍ଟୁଣୀ,୬l୫( ସଚ୍ଚିଦାନନ୍ଦ ପଣ୍ଡା )-ଆଠଗଡ଼ ନିର୍ବାଚନ ମଣ୍ଡଳୀ ଅଧୀନରେ ଥିବା ୧୭ ଟି ପଞ୍ଚାୟତର ୫୭ ଟି ରାଜସ୍ୱ ଗ୍ରାମକୁ କଟକ ଉନ୍ନୟନ କତ୍ତୃପକ୍ଷ (ସିଡିଏ) ରେ ସାମିଲ କରିବାକୁ ନେଇ ରାଜ୍ୟ ସରକାରଙ୍କ ନଗର ଉନ୍ନୟନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଏହାକୁ ନେଇ ଆଠଗଡ଼ରେ ବିଭିନ୍ନ ମହଲ ବିଶେଷ କରି ବୁଦ୍ଧିଜୀବୀ ମହଲରେ ତୀବ୍ର ବିରୋଧ ଆରମ୍ଭ ହୋଇଛି । ଶନିବାର  ନଦୀକୂଳ ଅଂଚଳର  ଶ୍ରୀରାମ ବରିଷ୍ଠ ନାଗରିକ ସଙ୍ଘ ପକ୍ଷରୁ ସଂଘର ସଭାପତି ଭାଗିରଥି ସାହୁଙ୍କ ଅଧ୍ୟକ୍ଷତାରେ କଖଡ଼ି ଠାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଆଠଗଡ଼ ନିର୍ବାଚନ ମଣ୍ଡଳୀର ୧୭ ପଞ୍ଚାୟତରୁ ୫୭ଟି ରାଜସ୍ୱ ଗ୍ରାମ ସିଡିଏ ଅଧିନକୁ ଚାଲି ଯାଇଥିବାରୁ ଏହାକୁ ନେଇ ବରିଷ୍ଠ ନାଗରିକ ମଞ୍ଚ ତୀବ୍ର ବିରୋଧ କରିଛନ୍ତି । ଏକ ପ୍ରତିକ୍ରିୟାରେ ସେମାନେ କହିଛନ୍ତି, ଆଠଗଡ଼ର ଇଷ୍ଟଦେଵ ଶ୍ରୀ ଧବଳେଶ୍ବର ଓ ଶ୍ରୀ ସର୍ପେଶ୍ବର ମହାଦେବଙ୍କ ପୀଠ ସିଡିଏ ପରିସୀମା ମଧ୍ୟରେ ରହୁଥିବାରୁ ଏହି ଦୁଇ ପୀଠ ସିଡିଏ ଅଧିନକୁ ଚାଲିଯିବ । ଫଳରେ ଆଠଗଡ଼ରେ ଅନୁଷ୍ଠିତ ହେଉଥିବା ବିଭିନ୍ନ ପର୍ବ ପର୍ବାଣୀରେ ବିଶେଷ ଅସୁବିଧା ଦେଖାଦେବା ସହିତ ମଞ୍ଚେଶ୍ବର, ଅନନ୍ତପୁର,ଘଣ୍ଟିଖାଲ, ଧୁରୁଷିଆରେ ଗଢି ଉଠିଥିବା ବିଭିନ୍ନ କଳ କାରଖାନାରୁ ଗ୍ରାମ ମାନେ ପାଉଥିବା ସାହାଯ୍ୟ ସହଯୋଗ ବନ୍ଦ ହୋଇଯିବ । ଏହାକୁ ନେଇ ବୈଠକରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ସିଡିଏରେ ଆଠଗଡ଼ର ୫୭ ରାଜସ୍ୱ ଗ୍ରାମ ସାମିଲକୁ ବିରୋଧ କରି ଆଗାମୀ ଦିନରେ ନଦୀକୂଳ ଶ୍ରୀରାମ ବରିଷ୍ଠ ନାଗରିକ ସଙ୍ଘ ପକ୍ଷରୁ କଖଡ଼ି ଠାରେ ଏକ ବିରାଟ ପ୍ରତିବାଦ ସଭା ଆୟୋଜନ କରାଯିବ ବୋଲି ସମ୍ପାଦକ କିରଣ ବିହାରୀ ଖଟୁଆ କହିଛନ୍ତି । ଏଥି ସହିତ ସିଡିଏରେ ଆଠଗଡ଼ର ୫୭ ରାଜସ୍ୱ ଗ୍ରାମ ସାମିଲ ହେବା ବିରୁଦ୍ଧରେ ସଂଘ ପକ୍ଷରୁ ଉଚ୍ଚ ନ୍ୟାୟାଳୟରେ ଜନସ୍ୱାର୍ଥ ମାମଲା ରୁଜ୍ଜୁ କରାଯିବ ବୋଲି ବରିଷ୍ଠ ନାଗରିକ ସଙ୍ଘ ସମ୍ପାଦକ  ଖଟୁଆ ସୂଚନା ଦେଇଛନ୍ତି  ।

Post a Comment

Previous Post Next Post